ବ୍ୟୁରୋ- ଲୁଚି ଲୁଚି ଦିଦି ବିକୁଥିଲେ ଚୋରା ଦେଶୀ ମଦ , ଧରପଗଡ଼ ବେଳେ ମାରୁଥିଲେ ଚମ୍ପଟ । ଦିଦି ବୋଲି କେହି ସନ୍ଦେହ କରୁନଥିଲେ। ତାର ଫାଇଦା ନେଉଥିଲେ ଦିଦି । ହେଲେ ବେଶିଦିନ କାମ ଦେଲାନି ଦିଦିଙ୍କ ବୁଦ୍ଧି, ଶେଷରେ ପୋଲିସ ଜାଲରେ ଫସିଗଲେ ଦିଦି। ଆଉ ଦିଦି ହେଉଛନ୍ତି ଜଣେ ଆଶା ଦିଦି ଓ ଆଉ ଜଣେ ଅଙ୍ଗନବାଡି ଦିଦି । ଦୁହେଁ ବେସ୍ କିଛି ଦିନ ଧରି ଚୋରା ଦେଶୀ ମଦ କାରବାର କରୁଥିଲେ , ହେଲେ ଧରାପଡୁ ନଥିଲେ । ବାଣପୁର ପୋଲିସ ଅତି ଚତୁରତାର ସହିତ ଏହି ଦୁଇ ଦିଦି ( ଅଙ୍ଗନବାଡ଼ି ଦିଦି କୁମାରୀ ଶବର ଏବଂ ଆଶା ଦିଦି ଫୁଲ ଶବର )ଙ୍କୁ ଧରିବାରେ ସଫଳ ହୋଇଛି। ଏହି ଦିଦି ମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯଥା ଦାମିଆଁ ବରବରା ପଞ୍ଚାୟତ କୋଶଡା ଗ୍ରାମର ଅଟନ୍ତି । ବାଣପୁର ପୋଲିସ ଏମାନଙ୍କ ଠାରୁ ଗୋଟିଏ ସ୍କୁଟି ଗାଡ଼ି ଓ ବିପୁଳ ପରିମାଣର ଦେଶୀ ଚୋରା ମଦ ଜବତ କରିଛି । ଏହି ଦିଦି ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ ।