ବ୍ୟୁରୋ: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟବାସୀ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ‘You are in Safe Hands’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିପଦ ଟଳିବା ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ଓ ସତର୍କ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ପରିସ୍ଥିତିକୁ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସମସ୍ତେ କ୍ୟାବିନେଟ ବୈଠକ ପରେ ଜିଲ୍ଲାଗସ୍ତରେ ଯାଇଛନ୍ତି। ଏହା ସହିତ ଅଭିଜ୍ଞତା ସମ୍ପନ୍ନ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯେଉଁ ସବୁ ଜିଲ୍ଲାରେ ବାତ୍ୟାର ସମ୍ଭାବନା ଅଛି, ସେ ସବୁ ଜିଲ୍ଲାରେ ବିପଦଶଙ୍କୁଳ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିପଦଶଙ୍କୁଳ ଅଞ୍ଚଳରୁ ୩୦ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି। ରାତି ସାରା ସ୍ଥାନାନ୍ତର କାର୍ଯ୍ୟ ଚାଲିବ ଏବଂ ଆସନ୍ତା କାଲି ସକାଳ ୧୧ଟା ସୁଦ୍ଧା ୯୦ ପ୍ରତିଶତ ସ୍ଥାନାନ୍ତର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ଯଦି ଗତିପଥ ବଦଳେ, ତେବେ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେଥିପାଇଁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି।