ଜଟଣୀ, ୧୬/୦୨: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟରେ ଜଟଣୀ ସେବା କେନ୍ଦ୍ର ତରଫରୁ ବିଶ୍ଵ କଲ୍ୟାଣକାରୀ ପରମେଶ୍ବର ପରମପିତା ପରମାତ୍ମା ଶିବବାବାଙ୍କର ଧରାବତରଣର ୯୦ତମ ପୁଣ୍ୟ ଜୟନ୍ତୀ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ସୂଚନାଯୋଗ୍ୟ ପରମପିତା ପରମାତ୍ମା ଶିବ ଭଗଵାନ ଆଜକୁ ୯୦ ବର୍ଷ ହେବ ଏହି ଅନୁଷ୍ଠାନ ମାଧ୍ୟମରେ ସୃଷ୍ଟି ପରିବର୍ତ୍ତନର ମହାନ୍ ଦିବ୍ୟ କର୍ତ୍ତବ୍ୟ ଜାରି ରଖିଛନ୍ତି। ଜଟଣୀ ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଚିନ୍ମୟୀ ମିଶନର ସ୍ବାମୀ ଇଶାନନ୍ଦ ସରସ୍ଵତୀ, ଜଟଣୀ ମୁଖ୍ୟ ଅତିଥି ତଥା ନାଇଜରର ବୈଜ୍ଞାନିକ  ଡକ୍ଟର ଶାରଳାଶ୍ରିତ ମହାନ୍ତ, ଏବଂ ଖୋର୍ଦ୍ଧାରୋଡ ଡିଭିଜନର ବରିଷ୍ଠ ଇଂଜିନିୟର ସୋମ୍ୟକାନ୍ତ ଦାସ ଯୋଗ ଦେଇଥିଲେ। ପ୍ରାତଃ ମୁରଲୀ କ୍ଲାସ ପରେ ସ୍ଥାନୀୟ ଅଞ୍ଚଳର ଶହ ଶହ ବ୍ରହ୍ମାକୁମାରୀ ଭାଇ ଭଉଣୀ ମାନେ ଶିବ ଧ୍ଵଜା ଉତ୍ତୋଳନ ସହ ଶିବଙ୍କ ଶ୍ରୀମତ ରେ ଚାଲି ନିଜ ଜୀବନ କୁ ଶ୍ରେଷ୍ଠ କରି ଗଢି ତୋଳିବା ପାଇଁ ପ୍ରତିଜ୍ଞା କରିଥିଲେ । ଏହି ପବିତ୍ର ଅବସରରେ ଶିବ ସନ୍ଦେଶ ପରିଚୟ ବଣ୍ଟନ ସହ ଏକ ଶାନ୍ତି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିସହ ସ୍ଥାନୀୟ ବୁଢ଼ାପଡା  ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା। ଏହି ସମସ୍ତ କାର୍ଯକ୍ରମରେ ଜଟଣୀ ସେବାକେନ୍ଦ୍ର ତଥା ଜଟଣୀ ଆଖପାଖ ଗୀତା ପାଠଶାଳା ରୁ ଶହ ଶହ ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ। ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *