Advertisement

ଠିକାଦାରଙ୍କ ଠାରୁ ବିଲ୍ ପାସ୍ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ (ଏଇ) ନିବେଦିତା ମହାନ୍ତି। ନିବେଦିତା ନିଜ ଖଣ୍ଡଗିରି ସ୍ଥିତ ବାସଭବନରେ ବିଲ ପାସ ପାଇଁ  ଜଟଣୀ ବ୍ଲକ ଅଧିନ କାନ୍ତିଆ ଗ୍ରାମର ଠିକାଦାର କିରଣ କୁମାର ପ୍ରଧାନଙ୍କ ଠାରୁ କେମିକାଲ ବୋଳା ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ ନିବେଦିତାଙ୍କୁ ଧରିଥିଲା।  ନିବେଦିତାଙ୍କ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ କରିବା ପରେ ନିବେଦିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ। କୋର୍ଟ ରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଏବେ ନିଦେଦିତାଙ୍କ ନୂଆ ଠିକଣା ପାଲଟିଛି ଝାରପଡା ଜେଲ। କିଛି ଦିନ ପୂର୍ବରୁ ଜଟଣୀ ବ୍ଲକ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ଦାସ ଜଟଣୀ ବ୍ଲକରେ ପିସି କାରବାର ଚାଲୁଥିବା ଅଭିଯୋଗ ଆଣିଥିଲେ। କିନ୍ତୁ ଅଧକ୍ଷା ଜୟନ୍ତୀ ଛୋଟରାୟ ସାମ୍ବାଦିକ ସମ୍ମିଳନୀ କରି ପିସି କାରବାର ଅଭିଯୋଗକୁ  ଖଣ୍ଡନ କରିଥିଲେ। ତେବେ ସାମ୍ବାଦିକ ସମ୍ମିଳନୀର ୧୦ଦିନ ନପୁରୁଣୁ, ଠିକାଦାରଙ୍କ ବିଲ ପାସ୍ ପାଇଁ ୫୦ହଜାର ଟଙ୍କା ଲାଞ୍ଚ ନେଇ ଜଟଣୀ ବ୍ଲକ ସରକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କ ଧରା ପଡିବା ଘଟଣା ପ୍ରମାଣ କରୁଛି , ଜଟଣୀ ବ୍ଲକ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ଦାସ, ଜଟଣୀ ବ୍ଲକରେ ପିସି କାରବାର ଚାଲିଥିବା ଅଭିଯୋଗରେ  ସତ୍ୟତା ରହିଛି। ତେବେ ନିବେଦିତା ୫୦ହଜାର ଟଙ୍କା ଲାଞ୍ଚ ନିଜ ପାଇଁ ନେଉଥିଲେ, ନା ଏହି ଟଙ୍କାରେ ଆଉ କାହାର ଭାଗ ଥିଲା ତାହା ତଦନ୍ତ ହେବାର ଆବଶ୍ୟକତା ରହିଛି।

Advertisement

Leave a Reply

Your email address will not be published. Required fields are marked *