Advertisement

ଖୋର୍ଦ୍ଧା, ୧୩/୫: ସଚ୍ଚି ରାଉତରାୟ ସାହିତ୍ୟ ସଂସଦ ପକ୍ଷରୁ ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ୧୧୧ତମ ଜୟନ୍ତୀ ତାଙ୍କ ଜନ୍ମ ସ୍ଥାନ ଗୁରୁଜଙ୍ଗ ଦେୱାନ୍ ସାହି ରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ଉପସଭାପତି ତଥା କବୟିତ୍ରୀ ଆରତୀ ମଞ୍ଜରୀ ଦାଶ ଓ ଅବସରପ୍ରାପ୍ତ ଅଧ୍ୟାପିକା ଶୁଭଦର୍ଶିନି ଦେବୀ ଙ୍କ ପରିଚାଳନାରେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଅନେକ କବିମାନେ ଅଂଶ ଗ୍ରହଣ କରି କବିତା ମାଧ୍ୟମରେ ମାଟିର ମହାକବି ସଚ୍ଚି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।ଦ୍ଵିତୀୟ ପର୍ଯ୍ୟାୟରେ  ଗାଳ୍ପିକା ତଥା ଅନୁଷ୍ଠାନ ସଭାପତି ଶ୍ୱେତ ପଦ୍ମାସିନି ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାହିତ୍ୟ ସଂସଦର ମୁଖପତ୍ର ‘ ଶତଦଳ ‘ ଉନ୍ମୋଚିତ ହୋଇଥିଲା ।

ଏତଦ୍ ବ୍ୟତୀତ କବି ନାରାୟଣ ଦାସଙ୍କ କବିତା ପୁସ୍ତକ ‘ କାଶତଣ୍ଡି -୪’ ବରେଣ୍ୟ ଅତିଥିମାନଙ୍କ କର କମଳରେ ଲୋକାର୍ପିତ ହୋଇଥିଲା । ଏହି ସାରସ୍ବତ ଉତ୍ସଵରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଗବେଷକ ସତ୍ୟବାଦୀ ବଳିଆରସିଂହ ସ୍ଵାଧୀନତା ସଂଗ୍ରାମରେ କବି ଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡ. ସସ୍ମିତା ପଟ୍ଟନାୟକ ସଚ୍ଚି ରାଉତରାୟଙ୍କ ଉପନ୍ୟାସ ‘ ଚିତ୍ରଗ୍ରିବ ‘ ଠାରୁ ଆରମ୍ଭ କରି ତାଙ୍କ ଗଳ୍ପ ସାମ୍ରାଜ୍ୟ ଓ କବିତାକାଶର ସ୍ଵତନ୍ତ୍ର ବିଭବ ସମ୍ପର୍କରେ ଅବତାରଣା କରି ଓଡ଼ିଆ ସାହିତ୍ୟରେ ପ୍ରାକ୍ ସାରଳା ଯୁଗ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ବ୍ୟାପ୍ତ କାବ୍ୟାଦର୍ଶର ସଂକ୍ଷିପ୍ତ ଚିତ୍ର ଉପସ୍ଥାପନ କରିଥିଲେ। ସଭାର ମୁଖ୍ୟ ଅତିଥି ତଥା ଖୋରଧା ସାହିତ୍ୟ ସଂସଦ ର ପୂର୍ବତନ ସଭାପତି ବୈକୁଣ୍ଠ ନାଥ ରାଜଗୁରୁ ସଚ୍ଚି ରାଉତରାୟଙ୍କ ନାମରେ ନାମିତ ଏହି ଅନୁଷ୍ଠାନର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ କବିଙ୍କ ରାଜନୈତିକ ଜୀବନ ଓ ପଲ୍ଲୀ ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଐତିହାସିକ ତଥା ପ୍ରାକ୍ତନ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ ତାଙ୍କ ଅଭିଭାଷଣରେ ସଚ୍ଚି ରାଉତରାୟଙ୍କ ଗଳ୍ପରେ କୈଶୋର ଜୀବନର ପ୍ରେମ ଓ ଅନ୍ୟାନ୍ୟ ଭାବଧାରା ବିଷୟରେ କହିଥିଲେ। କବି ଙ୍କ ସାହିତ୍ୟ କିପରି ଅଧିକ ଜନାଦୃତ ହୋଇପାରିବ ଓ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଵାଧୀନତା ସଂଗ୍ରାମୀ ସଚ୍ଚି ରାଉତରାୟଙ୍କ ପୂର୍ଣ୍ଣବଳୟ ପ୍ରତିମୂର୍ତ୍ତି ସ୍ଥାପନ ନେଇ ତତ୍ପରତା ପ୍ରକାଶ କରିବାକୁ ଉପସ୍ଥିତ ସଚ୍ଚି ରାଉତରାୟ ପ୍ରେମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଉତ୍ସବରେ ଗୁରୁଜଙ୍ଗ ର ସାରସ୍ଵତ ସାଧକ ସ୍ବର୍ଗତ ପଣ୍ଡିତ ହରିକୃଷ୍ଣ ପ୍ରଧାନ, ବାଇଧର ମହାପାତ୍ର ଓ ଅକ୍ଷୟ ସାହୁଙ୍କୁ ମରଣୋତ୍ତର’ ଶତଦଳ ସମ୍ମାନ ‘ ଓ  ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦକ ଭବାନୀ ପ୍ରସାଦ କର। କବି ଙ୍କ ସ୍ମୃତିଚାରଣ କରିବାକୁ ଯାଇ ଉପସଭାପତି ଆରତୀ ମଞ୍ଜରୀ ଦାଶ ତାଙ୍କ ସୁପ୍ରସିଦ୍ଧ ବାଜିରାଉତ କବିତା ଆଲୋଚନା କରିଥିଲେ।  ସଚ୍ଚି ସାହିତ୍ୟପ୍ରେମୀ ମାନଙ୍କ ଉପସ୍ଥିତିରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକ, ସ୍ତମ୍ବକାର ତଥା ଆଧ୍ୟାପକ ତୁଷାର ରଞ୍ଜନ ପାଲଟାସିଂହ ଓ ପ୍ରଫୁଲ୍ଲ ସାମନ୍ତରା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ସଭ୍ୟ ତଥା ସମାଜସେବୀ ଜୟନ୍ତ ମହାନ୍ତି, ଅନୁପମ ମହାନ୍ତି, ଚିତ୍ରଶିଳ୍ପୀ ତଥା କବି ଶ୍ରୀକାନ୍ତ ପାଣିଗ୍ରାହୀ ଓ  ବିଭୂତି ସେନାପତି। ସଭା ସଂଯୋଜନା କରିଥିଲେ କବୟିତ୍ରୀ ଯଶସ୍ୱିନି ସାହୁ। କାର୍ଯ୍ୟକ୍ରମରେ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗଦେଇ ସଚ୍ଚି ରାଉତରାୟଙ୍କ ବିପ୍ଲବୀ କବିତା “ବାଜିରାଉତ ” ଠାରୁ ଆରମ୍ଭ କରି “ଛୋଟ ମୋର ଗାଁ ଟି ” ଉପରେ ଆଲୋଚନାରେ ଭାଗନେଇଥିଲେ। ଶେଷରେ ସଂଗଠନ ସମ୍ପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *