ବ୍ୟୁରୋ: ପ୍ରତିବର୍ଷ ଭଳି ଗତକାଲି ଗୁରୁବାର ଦିନ ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ପୁରୀ ଗୌର ବିହାର ଆଶ୍ରମ ବା ମାତା ମଠରେ ୮୫୧ ପ୍ରକାରର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ରାଧାକୃଷ୍ଣଙ୍କ ପାଖରେ ଭୋଗ ଲାଗି ହୋଇଛି।
ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଥାଏ। ସେହିଦିନ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ରହିଛି। ଏହି ଅବସରରେ ପୁରୀର ଗୌରବିହାର ଆଶ୍ରମରେ ଖୁବ୍ ଧୁମଧାମରେ ବ୍ୟଞ୍ଜନ ଦ୍ଵାଦଶୀ ପାଳନ ହୋଇଛି। ବହୁ ଶ୍ରଦ୍ଧାଳୁ ଏହି ଅବସରରେ ଯୋଗଦେଇଥିଲେ।
ଶ୍ରୀ ଗୌରବିହାର ବା ମାତା ମଠର ମହନ୍ତ ସୁବଳ ଚରଣ ଦାସ କହିଛନ୍ତି ୨୦୧୬ ମସିହାରେ ୫୫୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା, ୨୦୧୭ ରେ ୬୧୧ ପ୍ରକାରର, ୨୦୧୮ରେ ୬୩୫ ପ୍ରକାରର, ୨୦୧୯ରେ ୬୭୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିବା ବେଳେ, ୨୦୨୦ରେ ୧୫୧ ପ୍ରକାରର, ୨୦୨୧ ମସିହାରେ ୭୦୧ ପ୍ରକାରର, ୨୦୨୨ ମସିହାରେ ୮୨୧ ପ୍ରକାରର, ୨୦୨୩ ମସିହାରେ ୮୫୧ ପ୍ରକାରର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା ଚଳିତ ବର୍ଷ ମଧ୍ୟ ୮୫୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇ ରାଧାକୃଷ୍ଣ ଙ୍କୁ ଭୋଗ ଅର୍ପଣ କରାଯିବା ପରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।