Advertisement

ଜଟଣୀ: 2024 ସାଧାରଣ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କ କସା। କିଏ କେଉଁ ନିର୍ବାଚନ ମଣ୍ଡଳୀରୁ ଲଢ଼ିବ, ଆଉ କେଉଁ ଦଳରୁ ଟିକେଟ ନେବ, ସେଥିପାଇଁ ସବୁଠି ଚାଲିଛି ଭିତିରିଆ ଲବି। ବିଧାୟକ ହେବାକୁ ଆଶା କରିଥିବା ନେତା ଏବେ ନିଜର ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ ଗଢି, ଲୋକଙ୍କର ହେଉଛନ୍ତି ନିକଟତର।

ସେଇ ଭିତରେ ରବିବାର ଦିନ ଖୋର୍ଦ୍ଧା ମା’ ବରୁଣେଇଙ୍କ ପୀଠରେ, ଜଟଣୀ ନାଗରିକ କମିଟି ତରଫରୁ ଏକ ବନ୍ଧୁ ମିଳନ ସହ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ।

ଆଗାମୀ 2024 ସାଧାରଣ ନିର୍ବାଚନରେ କ୍ୟାପଟେନ ମନ୍ମଥ ରାଉତରାୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ନିର୍ବାଚିତ ଲଢ଼ିବେ ବୋଲି ପିତା ସୁରେଶ କୁମାର ରାଉତରାୟ ଘୋଷଣା କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଦଳମତ ନିର୍ବିଶେଷରେ ସମସ୍ତେ ମନ୍ମଥଙ୍କୁ ଜଟଣୀର ବିଧାୟକ କରେଇବା ପାଇଁ ଶପଥ କରିଥିଲେ। କିନ୍ତୁ ମନ୍ମଥ 2024ରେ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି ସୁର।

ବିଧାୟକ ସୁର ରାଉତରାୟ କେତେବେଳେ ପୁଅ ସହ ବିଜେଡି ସୁପ୍ରିମୋଙ୍କୁ ଭେଟୁଛନ୍ତି, ତ କେତେବେଳେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଯାହାକୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀର ସବୁଠି ଚର୍ଚ୍ଚା ଜୋର ଧରିଛି। ମନ୍ମଥ 2024ରେ ବିଜେଡି, ବିଜେପି ନା ବାପାଙ୍କ ଦଳ କଂଗ୍ରେସରୁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରୁଛନ୍ତି। ତାହା ଦେଖିବାକୁ ଅପେକ୍ଷା।

Advertisement

Leave a Reply

Your email address will not be published. Required fields are marked *