ଜଟଣୀ,୧୦/୦୮: ଜଟଣୀର ଲଢୁଆ ନେତା ତଥା କ୍ରାନ୍ତିକାରୀ ଶ୍ରମିକ ନେତା ସୁଶାନ୍ତ ମହାନ୍ତିଙ୍କ ୨୪ତମ ସ୍ମୃତି ଚାରଣ ସଭା ସ୍ଥାନୀୟ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରରୁ ଅଲଗା କରି ଜଟଣୀକୁ ଏକ ସ୍ବତନ୍ତ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ କରାଯିବାକୁ ୧୯୭୨ ମସିହାରେ ସ୍ବର୍ଗତ ସୁଶାନ୍ତ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଡାକରାରେ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ନିଜକୁ ସାମିଲ କରିବା ସହିତ ୧୯୭୫ ମସିହାରେ ଦେଶରେ ଜରୁରୀ କାଳିନ ପରିସ୍ଥିତି ଘୋଷଣାକୁ ବିରୋଧ କରି ସ୍ବର୍ଗତ ମହାନ୍ତି ୧୯ ମାସ ମିସା ବନ୍ଦୀ ଭାବେ କାରାବରଣ କରିଥିବାର ସ୍ମୃତି ଚାରଣ ସଭାରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଜଟଣୀ ବରିଷ୍ଠ ନାଗିରକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ସଭାପତି ଅବନୀ ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ଉପସଭାପତି ତଥା ପୁର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ସଂପାଦକ ବୈଷ୍ଣବ ଚରଣ ବରାଳ, ଯୁବ ସଂଗଠକ ଅରୁଣ କୁମାର ମହାନ୍ତି, ଶ୍ରମିକ ନେତା ସାରଙ୍ଗଧର ବେହେରା, ଜଟଣୀ ବିକାଶ ପରିଷଦ ଉପସଭାପତି ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ଯୁବ ସଂଗଠକ ସୁଶାନ୍ତ କୁମାର ସାମନ୍ତରାୟ, ସୁଶାନ୍ତ କୁମାର ରାଉତ, ବୈରାଗୀ ଚରଣ ଜେନା, ବିଷ୍ଣୁପ୍ରସାଦ ଘଟୁଆରୀ, ଆଡଭୋକେଟ ଆଶୁତୋଷ ରାୟ, ସମାଜସେବୀ ହବିବୁର ରହମାନ ପ୍ରମୁଖ ସ୍ବର୍ଗତ ସୁଶାନ୍ତ ମହାନ୍ତିଙ୍କୁ ଓଡିଶାର ଅନ୍ୟତମ ଲଢ଼ୁଆ ନେତା ଭାବେ ମତବ୍ୟକ୍ତ କରିଥିଲେ । ଶେଷରେ ଯୁବ ସମାଜସେବୀ ବାସୁଦେବ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ