ଜଟଣୀ, ୨୩/୧୦:  ପ୍ରତିବର୍ଷ ପରି ଚଳିତ ବର୍ଷ ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଗୋପୀନାଥ ମନ୍ଦିର ଏବଂ ହାଟବଜାରର ରଘୁନାଥଜୀ ମନ୍ଦିରରେ ଅନ୍ନକୁଟ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଦୀର୍ଘ ୯୫ ବର୍ଷ ଧରି ଜଟଣୀ ଗୋପୀନାଥ  ମନ୍ଦିରରେ  ଏହି ଉତ୍ସବ ପାଳିତ ହୋଇ ଆସୁଛି। ଜଟଣୀ ମାରୱାଡି ସମ୍ପ୍ରଦାୟର ସମସ୍ତ ପରିବାର ଏହି ଅନ୍ନକୁଟ ମହୋତ୍ସବରେ ସାମିଲ ହୋଇଥିଲେ। ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ, କଟକ ଆଦି ଅଞ୍ଚଳରେ ରହୁଥିବା ଜଟଣୀର ମାରୱାଡି ପରିବାରର ସଦସ୍ୟ ମାନେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବରେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ, ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗଦେଇଥିଲେ।  ଉତ୍ତର ଭାରତରେ ଏହି ପର୍ବକୁ “ଗୋବର୍ଦ୍ଧନ ପୂଜା” କୁହାଯାଏ। ପୌରାଣିକ କଥା ଅନୁସାରେ ଇନ୍ଦ୍ରଙ୍କ ଗର୍ବ ଭାଙ୍ଗିବା ଏବଂ ବ୍ରଜବାସୀଙ୍କୁ ଇନ୍ଦ୍ରଙ୍କ ଦ୍ୱାରା ହୋଇଥିବା ପ୍ରବଳ ବର୍ଷାରୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କର କନିଷ୍ଠ ଆଙ୍ଗୁଠି ସାହାଯ୍ୟରେ ଗିରିଗୋବର୍ଦ୍ଧନ ପର୍ବତକୁ ଉଠାଇ ନେଇଥିଲେ। ସେବେଠାରୁ ବ୍ରଜ ଏବଂ ଉତ୍ତର ଭାରତୀୟ ଲୋକମାନେ ପ୍ରତିବର୍ଷ ଦୀପାବଳିର ଦ୍ୱିତୀୟ କିମ୍ବା ତୃତୀୟ ଦିନରେ ଭଗବାନ ଗିରିଗୋବର୍ଦ୍ଧନଙ୍କୁ ପୂଜା କରିଆସୁଛନ୍ତି। ପ୍ରଭୁଙ୍କୁ ପାଖରେ ପ୍ରାୟ ୫୬ ପ୍ରକାରର ରନ୍ଧା ଖାଦ୍ୟ ପ୍ରସାଦ ଲାଗି କରାଯାଇଥିଲା। ଗୋପୀନାଥ ମନ୍ଦିରର ଅଧ୍ୟକ୍ଷ ମହେଶ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ଶଙ୍କର ପ୍ରସାଦ ଅଗ୍ରୱାଲ, ଶ୍ୟାମସୁନ୍ଦର ଅଗ୍ରୱାଲ, ପବନ ଝୁନଝୁନୱାଲା, ରୋହତାଶ ପାଲିୱାଲ, ରବୀନ୍ଦ୍ର ସରାଫ, କମଲ ମୋଦୀ, ସଜନ୍ ଅଗ୍ରୱାଲ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *