ଏକଦା ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ସେବା କାର୍ଯ୍ୟରେ ନିୟୋଜିତ ପୂଜକ କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲି ଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ ।

ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରି କହିଥିଲେ, 

                      “ଆସ ଅଲାର ଖାଅ ଖିରି ।

                     ବାପା ଯାଇଛନ୍ତି ତୀର୍ଥ କରି ।।”

ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ । ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ । ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ ।

ତା ପରଦିନ ପୁଅକୁ କ୍ଷୀରି ହାଣ୍ଡି ସହ ପଠାଇ ବାଳକଟିର ମାଆ ଅଲାରନାଥ ବିଗ୍ରହଙ୍କର ପଶ୍ଚାତ୍ ଭାଗରେ ଲୁଚି ରହିଥିଲେ । କ୍ଷୀରି ଖାଇବା ପାଇଁ ମହାପ୍ରଭୁଙ୍କୁ ଶିଶୁ ଟି ସେହି ପରି ଗୀତ ଗାଇ ଆବାହନ କଲା , ପ୍ରଭୁ ଅଲାରନାଥ ସେଠାକୁ ଆସି ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ । ମହାପ୍ରଭୁ ସେଠାରୁ ପଳେଇ ଯିବା ସମୟରେ ଗରମ କ୍ଷୀରି ପ୍ରଭୁଙ୍କ ହାତ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିଲା। ଅଦ୍ୟାବଧି ଏହାର ସ୍ମୃତି ସ୍ୱରୂପ ସ୍ଥାନୀୟ ପୂଜକମାନେ ବିଗ୍ରହଙ୍କର ମୁହଁରେ ଥିବା ଫୋଟକା ଚିହ୍ନ ଭକ୍ତ ମାନଙ୍କୁ  ଦେଖାଇଥାନ୍ତି । ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରି ଥାଆନ୍ତି, ଯାହା ଫଳରେ କି ଏଠାରେ କ୍ଷୀର ଭୋଗ ଅତ୍ୟନ୍ତ ସୁସ୍ୱାଦୁ ରହିଥାଏ

Leave a Reply

Your email address will not be published. Required fields are marked *