ବ୍ୟୁରୋ,୫/୫: ଭାରତ ବର୍ଷର ବରିଷ୍ଠ ଯୋଗ ଗୁରୁ ପଦ୍ମଶ୍ରୀ  ଶିବାନନ୍ଦ ମହାରାଜଙ୍କ ୧୨୯ ବର୍ଷ ବୟସରେ ପରଲୋକ ହୋଇଛି। ବାରାଣସୀର ସାର୍ ସୁନ୍ଦର ଲାଲ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା  ସମୟରେ ଶିବନନ୍ଦ ମହାରାଜଙ୍କ ଶନିବାର ଇହଲୀଳା ସମ୍ବରଣ କରିଛନ୍ତି । ସେ ବାରାଣସୀର କବୀର ନଗରର ବାସିନ୍ଦା ଥିଲେ। ତାଙ୍କର ଯୋଗ ଏବଂ ଦୈନନ୍ଦିନ ଜୀବନଶୈଳୀ ପାଇଁ ସାରା ଦେଶରେ ଜଣାଶୁଣା ଥିଲେ।

ଯୋଗ ଗୁରୁ ଶିବାନନ୍ଦ ମହାରାଜଙ୍କୁ ୨୦୨୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ସମୟର ଚଳମାନ ଦୃଶ୍ୟ ଶ୍ରାବ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା । ପଦ୍ମଶ୍ରୀ ପୁରସ୍କାର ନେବା ପାଇଁ ଶିବାନନ୍ଦ ମହାରାଜ ଖାଲି ପାଦରେ ପହଞ୍ଚିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ଆଣ୍ଠୁମାଡି ଦଣ୍ଡବତ ହୋଇଥିଲେ। ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସେହିଭଳି ପ୍ରଣାମ କଲେ। ସେତେବେଳେ ସମସ୍ତେ ବାବା ଶିବାନନ୍ଦଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥିଲେ। ବିଶେଷକରି ଲୋକମାନେ ତାଙ୍କର ଦୀର୍ଘାୟୁ ହେବାର ରହସ୍ୟ ଜାଣିବାକୁ ଆଗ୍ରହୀ ହୋଇଥିଲେ।

କିଛି ବର୍ଷ ପୂର୍ବେ, ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଦୈନିକ ଯୋଗ କରିବା ବ୍ୟତୀତ ଯୌନ ସମ୍ପର୍କଠାରୁ ଦୂରତା ତାଙ୍କର ଦୀର୍ଘାୟୁ ପଛର ରହସ୍ୟ। ବାବା ଶିବାନନ୍ଦ କହିଥିଲେ ଯେ, ସେ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତି ଏବଂ ମସଲାଯୁକ୍ତ ମଧ୍ୟ ଖାଆନ୍ତି ନାହାଁନ୍ତି। ଏହା ବ୍ୟତୀତ ପ୍ରତିଦିନ ଯୋଗ କରିବା ତାଙ୍କ ଜୀବନର ଏକ ଅଂଶ। ଶିବାନନ୍ଦଙ୍କ ପାସପୋର୍ଟ ଅନୁଯାୟୀ ସେ ୮ ଅଗଷ୍ଟ  ୧୮୯୬ରେ ଜନ୍ମଗ୍ରହଣ କରିଥିଲେ। ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ବାବା ଶିବାନନ୍ଦ ସନ୍ନ୍ୟାସୀ ରାସ୍ତା ବାଛିଥିଲେ। ଏହା ବ୍ୟତୀତ ସେ ନିଜ ଜୀବନକୁ ଯୋଗ ଏବଂ ଭାରତୀୟ ଜୀବନଶୈଳୀରେ ଉତ୍ସର୍ଗ କରିଥିଲେ। ଶିବାନନ୍ଦ କହିଥିଲେ, “ମୁଁ ଏକ ସରଳ ଏବଂ ଶୃଙ୍ଖଳିତ ଜୀବନ ବିତାଉଛି। ମୁଁ ସିଝା ଖାଦ୍ୟ ଖାଏ। ଏଥିରେ କୌଣସି ପ୍ରକାରର ତେଲ କିମ୍ବା ମସଲା ନଥାଏ। ମୁଁ ସାଧାରଣତଃ ମସୁର ଡାଲି, ଭାତ ଏବଂ କଞ୍ଚା ଲଙ୍କା ଖାଏ। ସେ ସବୁବେଳେ ଚଟାଣ ଉପରେ ଶୁଅନ୍ତି। କେବଳ ଏତିକି ନୁହେଁ, ସେ କ୍ଷୀର ଏବଂ ଫଳ ମଧ୍ୟ ଖାଆନ୍ତି ନାହିଁ କାରଣ ଏଗୁଡ଼ିକ ସ୍ବତନ୍ତ୍ର ଖାଦ୍ୟ ଅଟେ ।

ବାବା ଶିବାନନ୍ଦଙ୍କ ଉଚ୍ଚତା ୫ ଫୁଟ ୨ ଇଞ୍ଚ ଥିଲା। ମାତ୍ର ୬ ବର୍ଷ ବୟସରେ ମାତାପିତାଙ୍କୁ ହରାଇଥିଲେ। ତା’ପରେ ତାଙ୍କୁ ତାଙ୍କ ସମ୍ପର୍କୀୟମାନେ ଏକ ଆଧ୍ୟାତ୍ମିକ ଗୁରୁଙ୍କ ନିକଟରେ ଛାଡି ଦେଇଥିଲେ। ଗୁରୁଙ୍କ ସହ ସେ ଦେଶ ଭ୍ରମଣ କରିଥିଲେ। ଆଜିର  ବୈଷୟିକ ବା ଟେକ୍ନୋଲୋଜି ଯୁଗ ସହ ତାଳ ଦେବାକୁ ତାଙ୍କର ଆଦୌ ଆଗ୍ରହ ନଥିଲା ଏବଂ ସେ ପୁରୁଣା ଢଙ୍ଗରେ ଜୀବନଯାପନ କରୁଥିଲେ  । ବାବା ଶିବାନନ୍ଦ କହିଥିଲେ, ପୂର୍ବରୁ ଲୋକମାନେ କମ ଜିନିଷରେ ଖୁସି ଥିଲେ। ଆଜି ସବୁ ଜିନିଷ ଥାଇ ମଧ୍ୟ ଲୋକମାନେ ଅସନ୍ତୁଷ୍ଟ ଓ ଅସୁସ୍ଥ। ଲୋକଙ୍କ ମଧ୍ୟରେ ସଚ୍ଚୋଟତା ମଧ୍ୟ ହ୍ରାସ ପାଇଛି। ଏହା ମୋତେ ବହୁତ କଷ୍ଟ ଦିଏ। ମୁଁ ଚାହେଁ ଲୋକମାନେ ଖୁସି, ସୁସ୍ଥ ଏବଂ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରନ୍ତୁ।

Leave a Reply

Your email address will not be published. Required fields are marked *