ନବରାତ୍ରୀ ର ପ୍ରଥମ ଦିବସରେ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ। ମା ଶୈଳପୁତ୍ରୀ -ଦ୍ୱିଭୁଜା ଦେଵୀ ବୃଷଭବାହନରେ ଅଧିଷ୍ଠିତା । ବାମ ହସ୍ତରେ ପ୍ରସ୍ଫୁଟିତ ପଦ୍ମ ଓ ଅନ୍ୟ ହସ୍ତରେ ତ୍ରିଶୁଳ । ଏହି ଦେବୀ ଇଷତ ଲାଲ ବସ୍ତ୍ର ପରିହିତା, ଅଳଙ୍କାର ଯୁକ୍ତା ଏବଂ ମସ୍ତକରେ ସ୍ବର୍ଣ୍ଣ ମୁକୁଟ । ଏକଦା ଗିରି ରାଜ ହିମାଳୟ କଠୋର ତପସ୍ୟାକରି ଦେବୀଙ୍କୁ ପୁତ୍ରୀ ରୂପେ ପାଇଥିଲେ । ସେ ହିମାଳୟ କ୍ରୋଡ଼ରେ ବିରାଜିତା ଶୈଳପୁତ୍ରୀ । ଦକ୍ଷ ଯଜ୍ଞରେ ସତୀଙ୍କ ଆତ୍ମ ବିସର୍ଜନ ପରେ ଶିବ ତାଙ୍କ ପାଖରେ ସତୀଙ୍କୁ ନ ପାଇ ଶକ୍ତିହୀନ ମନେ କରୁଥିଲେ । ସେ ହିମାଳୟରେ କଠୋର ତପସ୍ୟା କରି ଶୈଳପୁତ୍ରୀଙ୍କୁ ଲାଭ କରିଥିଲେ । ଦେବୀଙ୍କ ଗର୍ଭରୁ ଦେବ ସେନାପତି କାର୍ତ୍ତୀକେୟଙ୍କ ସମ୍ଭବ ହୋଇଥିଲା । ଦେବୀଙ୍କ ଏହି ଜନ୍ମରେ ତିନିଗୋଟି ଅଭୀଷ୍ଟ ପୂରଣ ହୋଇଥିଲା । ଦେବତା ମାନଙ୍କର କାର୍ତ୍ତିକେୟଙ୍କ ଦ୍ୱାରା ଅସୁର ସଂହାର,ହିମବନ୍ତଙ୍କ ମନୋବାଞ୍ଛା ପୂରଣ ଏବଂ ଶିବଙ୍କର ଶକ୍ତି ଲାଭ । ସେ ସତୀ, ଭବାନୀ, ହୈମବତୀ ରୂପରେ ମଧ୍ୟ ପରିଚିତା । ଦେବୀଙ୍କ ଗ୍ରହ ହେଉଛି ଚନ୍ଦ୍ର । ଦେବୀଙ୍କ ମନ୍ତ୍ର ଓଁ ଦେବୀ ଶୈଳପୁତ୍ରୈ ନମଃ ।