ଜଟଣୀ,୧୬/୯: ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଖୋର୍ଦ୍ଧା ରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ ମଧ୍ୟରେ ଥିବା ଜଟଣୀ ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଆସନ୍ତା କାଲି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଜଟଣୀ ବାସୀଙ୍କୁ ଭେଟି ମିଳିବ । ଅପରାହ୍ନ ୪ଘ. ୩୦ ମିନିଟ୍ ସମୟରେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ , ରାଜ୍ୟସଭା ସାଂସଦ ସୁଲତା ଦେଓ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏହି ପାସେଞ୍ଜର ହଲ୍ଟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଖୁଦୁପୁର, ତରାବୋଇ, ବଣିଆଟାଙ୍ଗୀ, ହରିଡାମଡା, ହରିପୁର, କୋରାଙ୍ଗ, ପିତାପଲି, ସମପୁର, ବାଜପୁର ଏବଂ ନିକଟବର୍ତ୍ତୀ ଅଞ୍ଚଳବାସୀ ଏହାର ବିଶେଷ ସୁବିଧା ପାଇବେ। ଏହି ପାସେଞ୍ଜର ହଲ୍ଟ ବିଶେଷ ଭାବେ ଆଇଆଇଟି ଭୁବନେଶ୍ୱର, ନାଇଜର, ଜିଆଇଟି, ମହାରାଜା ପଲିଟେକ୍ନିକ୍, ମହାରାଜା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଆଇନଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲୋଜି, ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଏବଂ ଟେମ୍ପୁଲ୍ ସିଟି ଏକାଡେମୀ ଅଫ୍ ଟେକ୍ନୋଲୋଜି ଆଣ୍ଡ ଇଞ୍ଜିନିୟରିଂ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ଏବଂ କର୍ମଚାରୀମାନଙ୍କୁ ଲାଭ ପ୍ରଦାନ କରିବ । ଏହି ହଲ୍ଟ ପ୍ରସ୍ତାବିତ ଜିଲ୍ଲା ମେଡିକାଲ୍ ହସ୍ପିଟାଲ ଓ ମେଡିକାଲ୍ କଲେଜକୁ ମଧ୍ୟ ସେବା ପ୍ରଦାନ କରିବ ।
ପ୍ରତିଦିନ ଯାତ୍ରୀମାନଙ୍କୁ ସେବା ଯୋଗାଇବା ସହିତ, ତରାବୋଇ ପାସେଞ୍ଜର ହଲ୍ଟ ଖୋର୍ଦ୍ଧା ଦୁର୍ଗ, ଐତିହାସିକ ବରୁଣେଇ ପାହାଡ଼ ଏବଂ ବରୁଣେଇ ମନ୍ଦିରକୁ ରେଳ ସଂଯୋଗୀକରଣ ଉନ୍ନତ କରି ପର୍ଯ୍ୟଟନକୁ ବୃଦ୍ଧି କରିବ । ଏହି ବର୍ଦ୍ଧିତ ସୁଗମତା ଅଧିକ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ ଅର୍ଥନୀତିକୁ ଲାଭ ଦେବ ଏବଂ ଏହି ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବ ବୋଲି ଆଶା କରାଯାଉଛି ।
ଜାନୁଆରୀ 2024 ରେ ରେଳ ବୋର୍ଡ ଦ୍ୱାରା ଅନୁମୋଦିତ ତରାବୋଇ ପାସେଞ୍ଜର ହଲ୍ଟ ସେପ୍ଟେମ୍ବର 2025 ରେ ₹80 ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ପ୍ରତିଦିନ ଚାରି ଯୋଡ଼ା ଟ୍ରେନ୍ 68443/68444 ଭଦ୍ରକ-ଦସପଲ୍ଲା-ଭଦ୍ରକ ମେମୁ, 68429/68430 ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ମେମୁ, 18423/18424 ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ଏବଂ 68449/68450 ପୁରୀ-ଦସପଲ୍ଲା-ପୁରୀ ମେମୁ ନୂତନ ଭାବରେ ପ୍ରଦାନ କରାଯାଉଥିବା ତରାବୋଇ ପାସେଞ୍ଜର ହଲ୍ଟରେ ରହଣି ପ୍ରଦାନ କରିବ ।
