ଜଟଣୀ, ୦୮/୦୮: ପ୍ରତି ବର୍ଷ ପରି ଅଗଷ୍ଟ ମାସ ୭ ତାରିଖକୁ ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟ ଉପସଭାନେତ୍ରୀ ମହିଳାମୋର୍ଚ୍ଚା ରଶ୍ମିମୟୀ ପଟ୍ଟନାୟକଙ୍କ ନେତୃତ୍ୱରେ ଜଟଣୀର ତରବୋଇ ଠାରେ ମହିଳା ବୁଣାକାରଙ୍କୁ ନେଇ ଗଢି ଉଠିଥିବା ତରବୋଇ ପ୍ରଡୁସାର କମ୍ପାନୀକୁ ପରିଦର୍ଶନ କରିଥିଲେ। ସେଠାରେ ମହିଳା ବୁଣାକାରଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରିବା ସହିତ ରାଜ୍ୟ ସମ୍ପାଦିକା କୌଶଲ୍ୟା ନାୟକ ସାମଗ୍ରୀର କିଭଳି ସୁଲଭ ବଜ଼ାର କରାଯାଇପାରିବ ସେ ବିଷୟରେ କହିଥିଲେ । ସ୍ୱଛଭାରତ ସେଲ୍ ର ରାଜ୍ୟ ସଂଯୋଜିକା ରତ୍ନପ୍ରଭା ପଣ୍ଡା ଗ୍ରୁପ ମହିଳା ମାନଙ୍କୁ କାମ ସହିତ ସ୍ୱଛତା ମଧ୍ୟ ଜରୁରୀ ବୋଲି କହିଥିଲେ। ସବୁ ମହିଳା ମାନେ ସୁଭଦ୍ରା ହିତାଧିକାରୀ ବୋଲି ଜାଣିବା ପରେ ଖୁସି ପ୍ରକଟ କରିବା ସହିତ, ସୁଭଦ୍ରା ଅର୍ଥ ରାଶିକୁ କିପରି ସୁବିନିଯୋଗ କରିଛନ୍ତି, ସେ ବିଷୟରେ ରଶ୍ମିମୟୀ ପଟ୍ଟନାୟକ ଆଲୋଚନା କରିଥିଲେ। ଆସନ୍ତା ରାକ୍ଷୀ ପୁର୍ଣିମା ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ର ତୃତୀୟ କିସ୍ତି ହିତାଧିକାରୀଙ୍କୁ ଦେବାକୁ ଯାଉଛନ୍ତି ବୋଲି ଅବଗତ କରିଥିଲେ । ବିଶେଷ ଅତିଥି ଭାବେ କ୍ୟାରମ ସଂସ୍ଥାର ପରିଚାଳକ ଡା. ଜୀବନ ଦୀକ୍ଷିତ ଯୋଗ ଦେଇ ମହିଳାଙ୍କୁ ସ୍ୱାସ୍ଥ୍ୟ ସଚେତନତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଗୁରୁ ଶିଷ୍ୟ ପରମ୍ପରା ଅନୁଯାୟୀ ବୁଣାକାର ଗୁରୁ ସୁରେଶ ପାତ୍ରଙ୍କୁ ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ତରଫରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପରିଶେଷରେ କମ୍ପାନୀର ଉପଦେଷ୍ଟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ସହିତ ହସ୍ତତନ୍ତ ଦିବସ ଉପଲକ୍ଷେ ମହିଳା ମୋର୍ଚ୍ଚାର ରାଜ୍ୟ ଟିମ୍ ମହିଳା ବୁଣାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ କିଛି ବସ୍ତ୍ର କିଣିଥିଲେ ଓ ସେମାଙ୍କର ମୁଖ୍ୟ ଉପଦେଷ୍ଟା ପ୍ରତାପ ଦାସ ଙ୍କ ସହିତ ବୁଣାକାରଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଗ୍ରୁପ ସଭାପତି ପ୍ରତିମଗୁରୁ ଓ ସମ୍ପାଦିକା ସ୍ୱର୍ଣ ଲତା ଦାସ ପରିଚାଳନା କରିଥିଲେ।