ନବରାତ୍ର ର ତୃତୀୟ ଦିବସରେ ମା ଚନ୍ଦ୍ରଘଣ୍ଟା ଙ୍କୁ ପୂଜା କରାଯାଇଥାଏ। ମହିଷାସୁର ବଧ ନିମନ୍ତେ ଯେତେ ବେଳେ ମା ଦୁର୍ଗା ଆବିର୍ଭୁତା ହୋଇଥିଲେ ସମସ୍ତ ଦେବତାମାନେ ମିଶି ତାଙ୍କ ହାତରେ ଆୟୁଧମାନ ପ୍ରଦାନ କରି ଥିଲେ । ଦେବ ରାଜ ଇନ୍ଦ୍ର ସେତିକି  ବେଳେ ମାଆଙ୍କୁ ଘଣ୍ଟାଟିଏ ପ୍ରଦାନ କରି ଥିଲେ । ଇନ୍ଦ୍ର ଦେବୀଙ୍କ ଠାରୁ ଯେଉଁ ବ୍ରହ୍ମଜ୍ଞାନ ପାଇଥିଲେ ତାହାକୁ ବିଶ୍ୱରେ ଘୋଷିତ କରିବାପାଇଁ ସେ ଏହି ଘଣ୍ଟା ଇନ୍ଦ୍ରଙ୍କୁ ଦେଇଥିଲେ । ଏ ଘଣ୍ଟାରେ ଐରାବତ ହସ୍ତୀର ବଳ ପୁରି ରହିଥିଲା । ଏଣୁ କୁହାଯାଇଛି :-

     ଦଦୌ ତସ୍ୟେ ଶହଶ୍ରାକ୍ଷୋ 

           ଘଣ୍ଟା ଭୈରବତାଦ ଗଜାତ୍

ସର୍ଵ ଵାଦ୍ୟମୟୀ ଏ ଘଣ୍ଟାର ଧ୍ୱନି ଅତୀବ ତୀବ୍ର । ବିଶ୍ୱ ସୃଷ୍ଟି ମୂଳରେ ଯେଉଁ ନାଦବ୍ରହ୍ମ ନିହିତ ରହିଛି ସେଥିରୁ ଏ ଘଂଟାର ଉଦ୍ଭବ । ସାଧକ ମାତୃଶକ୍ତିର ନିକଟବର୍ତ୍ତୀ ହେଲେ ଏହି ଘଣ୍ଟାର ଧ୍ୱନି ଶୁଣିପାରି  ଥାନ୍ତି । ଯେଉଁମାନେ ଭୋଗାଶକ୍ତ । ମୃତ୍ୟୁ ବେଳେ ସେମାନେ ଯମ ରାଜଙ୍କ ବାହନ ମହିଷ ବେକର ଘଣ୍ଟି ଧ୍ୱନୀ ଶୁଣି ପାରନ୍ତି । ମାତୃ ସେବକଙ୍କୁ ଏହା ମାତୃଆବାହନୀ ଧ୍ୱନିଭାବେ ପ୍ରତୀତ ହୋଇଥାଏ । ଦେବୀଙ୍କ ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧ ଚନ୍ଦ୍ର । ସୁବର୍ଣ୍ଣ ସଦୃଶ ଦେବୀଙ୍କର ଲାବଣ୍ୟ ମୂର୍ତ୍ତି । ତିନି ନେତ୍ର ଓ ଦଶ ହାତରେ ଧାରଣ କରିଛନ୍ତି ଦଶଟି  ଆୟୁଧ । ଦେବୀ ସିଂହାରୁଢ଼ା,ଯୁଦ୍ଧ ପାଇଁ ପ୍ରସ୍ତୁତ । ଦେବୀ ବୀର ରସର ଅପୂର୍ବ ମୂର୍ତ୍ତି । ଦେବୀଙ୍କ ଗ୍ରହ ଶୁକ୍ର ,ମନ୍ତ୍ର – ଓଁ ଦେବୀ ଚନ୍ଦ୍ରଘଣ୍ଟାଐ ନମଃ ।

Leave a Reply

Your email address will not be published. Required fields are marked *