ବ୍ୟୁରୋ,୦୪/୦୮: ଦାବୀ ପୂରଣ ନହେଲେ ପୁଣି ଆନ୍ଦୋଳନ କୁ ଓଲ୍ହାଇବ ରାଜସ୍ବ ଅମଲା ସଂଘ। ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଖୋର୍ଦ୍ଧା ଜିଲ୍ଲା ରାଜସ୍ବ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲା ମାନଙ୍କର ଦଶ ଦଫା ଦାବି ବିଷୟରେ ଆଲୋଚନା କରାଯାଇଥିଲା। ସୂଚନା ମୁତାବକ ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ ମୂଳ ଦରମା ORSP ନିୟମ ଅନୁଯାୟୀ ଲେବେଲ ୯କୁ ବୃଦ୍ଧି କରିବା, କ୍ୟାଡର ପୁନ୍ନଗଠନ ତଥା ORS ରେ ଜିଲ୍ଲାସ୍ତରୀୟ ରାଜସ୍ଵ ଅମଲାଙ୍କୁ ସଠିକ୍ ଭାବେ ପଦୋନ୍ନତି ସହିତ 10 ଦଫା ଦାବି ନେଇ ରାଜସ୍ବ ଅମଲାମାନେ ଗତ ମାସ ୦୭.୦୭.୨୦୨୫ ରିଖ ଠାରୁ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଥିଲେ। ଓଡ଼ିଶା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସଂଘ ସହିତ ୦୯.୦୭.୨୦୨୫ ରେ ଆଲୋଚନା କରି ଖୁବ୍ ଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ସେଠାରେ ଉପସ୍ଥିତ ଥିବା ରାଜସ୍ୱ ଅତିରିକ୍ତ ମୁଖ୍ୟ ଶାସନ ସଚିବ ୧୫ ଦିନ ଭିତରେ କ୍ୟାଡର ପୁନ୍ନଗଠନ କାର୍ଯ୍ୟକୁ ସମ୍ପାଦନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ୧ ମାସ ସମୟ ପୂର୍ଣ୍ଣ ହେବାକୁ ଯାଉଥିଲେ ମଧ୍ୟ ଜିଲ୍ଲାସ୍ତରୀୟ ରାଜସ୍ଵ ଅମଲାଙ୍କ କ୍ୟାଡର ପୁନ୍ନଗଠନ ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ । ଏହା ମଧ୍ଯରେ ORS କୁ ନେଇ ସରକାର ଙ୍କ ପକ୍ଷରୁ ଯେଉଁ Notification କରାଯାଇଛି, ତାହାଦ୍ବାରା ରାଜସ୍ବ ଅମଲାମାନେ ORS ପଦବୀକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହେବେ। ତେଣୁ ପ୍ରତିଟି ରାଜସ୍ଵ ଅମଲା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓ ରାଜ୍ୟ ସଂଘ ର ଆହ୍ୱାନ କ୍ରମେ ଆସନ୍ତା ୧୧.୦୮.୨୦୨୫ ଠାରୁ ପୁନର୍ବାର ଆନ୍ଦୋଳନ କରିବେ ବୋଲି ରାଜସ୍ବ ଅମଲା ସଂଘ, ଖୋର୍ଦ୍ଧା ଜିଲ୍ଲା ଶାଖାର ସଭାପତି ମୃତ୍ୟୁଞ୍ଜୟ ସେନାପତି, ସମ୍ପାଦକ ଅରୁଣ କୁମାର ମୁଦୁଲି ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।