ବ୍ୟୁରୋ: ଅଙ୍କଲ ମହାଶୟ, ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ଅନତି ଦୂରରୁ ମୋର ଦୁଇ ଭାଇ ଜଗା ବଳିଆଙ୍କ ପାଖକୁ ସପ୍ରେମ ରାକ୍ଷୀ ପଠାଇଲି। ରକ୍ଷା ବନ୍ଧନ ଦିନ ମୋର ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିଦେବେ ଏବଂ ପଠାଇଥିବା ଟଙ୍କାରେ ଭାଇ ଭଉଣୀଙ୍କୁ ଲଡୁ ଖୁଆଇ ଦେବେ। ଇତି ଆପଣଙ୍କ ସ୍ନେହର ଜଗା ବଳିଆଙ୍କ ଭଉଣୀ। ଏଭଳି ଏକ ଭାବଭରା ଚିଠି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଲେଖିଛନ୍ତି,  ଭଦ୍ରକ ଜିଲ୍ଲା  ବାମନବିନ୍ଧା ଗ୍ରାମର, ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ଏସ୍ ଏନ୍ ସାଇ ସୁକନ୍ୟା ମହାନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥ ଓ  ଶ୍ରୀ ବଳଭଦ୍ରଙ୍କୁ ନିଜ ଭାଇ ବୋଲି ଗ୍ରହଣ କରିଛନ୍ତି ସୁକନ୍ୟା। ରକ୍ଷା ବନ୍ଧନ ଅବସରରେ ସୁକନ୍ୟା ଦୁଇଟି ରାକ୍ଷୀ ସହ ଲଡୁ ପାଇଁ ୫୦୦ଟଙ୍କା ଓ ଏକ ଭାବଭରା ଚିଠି ଲେଖି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପଠାଇଥିଲେ।

ଏହି ଚିଠିକୁ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଆଗ୍ରହର ସହ ଗ୍ରହଣ କରି ଜଗାବଳିଆ ଦୁଇ ଭାଇଙ୍କୁ ଉକ୍ତ ରାକ୍ଷୀ ବାନ୍ଧିବାର ବ୍ୟବସ୍ଥା କରିଛନ୍ତି। ଏହା ସହ ସୁକନ୍ୟାଙ୍କ ପାଖକୁ ଏକ ପତ୍ର ଲେଖିଛନ୍ତି ଓ ମହାପ୍ରଭୁଙ୍କ ଆଶ୍ରିବାଦ ସ୍ୱରୂପ ରଥକାଠ, ନିର୍ମାଲ୍ୟ, ରଥ ଦଉଡି,ଓ ରଥ କନା ରହିଥିବା ଏକ ପ୍ୟାକେଟ ପଠାଇଛନ୍ତି । ସୁକନ୍ୟା ପଠେଇଥିବା ୫୦୦ ଟଙ୍କା ଗ୍ରହଣ ହୋଇଥିବା ଏକ ରସିଦକୁ ମଧ୍ୟ ଚିଠି ସହ ପଠାଇଛନ୍ତି। ସୂଚନା ମୁତାବକ ସୁକନ୍ୟା ହେଉଛନ୍ତି ବାପା ମାଙ୍କର ଏକମାତ୍ର ଝିଅ। ତେଣୁ ସୁକନ୍ୟା ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ନିଜର ଭାଇ ବୋଲି ଗ୍ରହଣ କରି ରାକ୍ଷୀ ପଠେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *