ଜଟଣୀ,୧୬/୦୮: ପବିତ୍ର ୭୯ତମ ସ୍ୱାଧୀନତା ଦିବସ ଅବସରରେ ଦେଶଭକ୍ତିର ଉତ୍ସାହ ଓ ଏକତାର ସନ୍ଦେଶ ସହିତ ପିପଲ୍ ଫର୍ ସୋସାଇଟି ପକ୍ଷରୁ “ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କ ଭୂମିକା” ବିଷୟରେ ଏକ ଆଲୋଚନା ଚକ୍ର ଜଟଣୀ ଟାଉନ୍ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସେଞ୍ଚୁରିଆନ ୟୁନିଭରସିଟି ସଂସ୍ଥାପକ ମୁକ୍ତିକାନ୍ତ ମିଶ୍ର, ହିନ୍ଦୁ ଜାଗରଣ ମଞ୍ଚ ସଂଯୋଜକ ତନ୍ମୟ ଦାସ, ମେଟ୍ରୋ ଗ୍ରୁପ୍ ନିର୍ଦ୍ଦେଶକ ପୀୟୁଷ ମହାନ୍ତି, ଜି.ଡି. ଗୋଏଙ୍କା ସ୍କୁଲ୍ ଅଧ୍ୟକ୍ଷ ଅମିତ ମିଶ୍ର ଓ ହାଇ-ଟେକ୍ ଗ୍ରୁପ୍ ନିର୍ଦ୍ଦେଶକ ସନ୍ତୋଷ ଚୌଧୁରୀ ଯୋଗଦେଇଥିଲେ ।

ସ୍ୱାଧୀନତାର ସତ୍ୟ ଅର୍ଥ କେବଳ ୧୫ ଅଗଷ୍ଟରେ ପତାକା ଉତ୍ତୋଳନ କରିବା ନୁହେଁ, ପରବର୍ତ୍ତୀ ପିଢ଼ୀଙ୍କୁ ଦାୟିତ୍ୱବାନ୍, ସଚେତନ ଓ ସାମାଜିକ ଭାବେ ସୁଦୃଢ଼ କରିବା ହେଉଛି ସମସ୍ତଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ତାଙ୍କ ଭାଷଣରେ କହିଥିଲେ। ଏହି ଉତ୍ସବରେ “ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କ ଭୂମିକା” ବିଷୟରେ ଆଲୋଚନା ଚକ୍ର ପାଳନ କରାଗଲା । ପରବର୍ତ୍ତୀକାଳରେ ଦେଶଭକ୍ତି ରିଲ୍ ମହୋତ୍ସବର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ନୃତ୍ୟଶ୍ରୀ ଅନୁଷ୍ଠାନ ପକ୍ଷରୁ ଦେଶଭକ୍ତିମୂଳକ ନୃତ୍ୟ, ଓଡ଼ିଶାର ଲୋକନୃତ୍ୟ ଓ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ ଉପସ୍ଥାପନ କରାଗଲା । ଶେଷରେ ପିପଲ୍ ଫର୍ ସୋସାଇଟିର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ଶୁଭ୍ରାଂଶୁ ଶେଖର ଜେନା ଧନ୍ୟବାଦ ଦେଇଥିଲେ।