ଜଟଣୀ, ୧୩/୬: ଓଡିଶା ସାହିତ୍ୟ ଏକାଡେମୀ ଓ ଜଟଣୀ ସାହିତ୍ୟ ସଂସଦର ମିଳିତ ସହଯୋଗରେ ସଂସଦର ପଚାଶ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଜଟଣୀ ସାହିତ୍ୟ ସଂସଦ ର ସଭାପତି ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସଭାପତିତ୍ବରେ ଜଟଣୀ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ସୁସାହିତ୍ୟିକ ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଶିକ୍ଷାବିତ ମୃତ୍ୟୁଞ୍ଜୟ ରଥ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ।

ଅତିଥି ମାନଙ୍କ ଦ୍ୱାରା ମୁଖପତ୍ର “ଚିହ୍ନ”ଉନ୍ମୋଚନ ହୋଇଥିଲା। ଅନୁଷ୍ଠାନ ର ସଭ୍ୟ ସୁଶୀଲ କୁମାର ଛୁଆଲସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପତି ଶ୍ୟାମ ସୁନ୍ଦର ତ୍ରିପାଠୀ ତାଙ୍କର ପ୍ରାରମ୍ଭିକ ଭାଷଣରେ ସଂସଦ ଇତିହାସ ବିଷୟରେ କହିଥିଲେ। ସମ୍ପାଦକ ସତ୍ୟବାଦୀ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୂଖ୍ୟ ଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ସାହିତ୍ୟ ହେଉଛି ମଣିଷର ଆତ୍ମା। ସାହିତ୍ୟ ନଥିଲେ ଅନୁଭବର ସତ୍ତା ଉପଲବ୍ଧି ହୁଅନ୍ତା ନାହିଁ। ସମ୍ମାନୀତ ଅତିଥି ଶ୍ରୀବଳବନ୍ତରାୟ ତାଙ୍କ ଭାଷଣରେ କହିଥିଲେ ସାହିତ୍ୟ ସଂସ୍କୃତିକୁ ମଧୁମୟ କରିଥାଏ। ଭାଷାକୁ ଉଜ୍ଜୀବିତ କରିଥାଏ। ସାହିତ୍ୟ ବିନା ଭାଷା ବଞ୍ଚିବ ନାହିଁ ।

ସେହିପରି ଅଧ୍ୟାପକ ଶ୍ରୀରଥ କହିଥିଲେ ଭାଷା ସାହିତ୍ୟ ବିନା ସମାଜ ପଙ୍ଗୁ, ସାହିତ୍ୟ ଆମକୁ ଦେଇଥାଏ ଅପାର ଆନନ୍ଦ। ସାଗର ଓ ଆକାଶର ଯେପରି ତୁଳନା ନାହିଁ, ସେହିପରି ସାହିତ୍ୟରୁ ମିଳୁଥିବା ଆନନ୍ଦର ତୁଳନା ନାହିଁ। ଆମେ ସହିତ୍ୟନୁରାଗୀ ହୋଇ ଲେଖନୀ ଚାଳନା କରିବା। ଏହି ଅବସରରେ ବିଶିଷ୍ଟ ଚକ୍ଷୁ ଚିକିତ୍ସକ ଡ଼ ପ୍ରସନ୍ନ କୁମାର ମହାନ୍ତି, ପ୍ରାଧ୍ୟାପକ ଶିକ୍ଷାବିତ୍ ଡ଼ ସୁରେନ୍ଦ୍ର ନାଥ ମିଶ୍ର, ବିଶିଷ୍ଟ କଥା ଶିଳ୍ପୀ ତପନ କୁମାର ମହାପାତ୍ର, ଜଟଣୀ ଆରକ୍ଷୀ ନିରୀକ୍ଷକ ଷ୍ଟାଲିନ ବିଶ୍ଵାଳ, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ବିରଞ୍ଚି ନାରାୟଣ ରଥ, ସମାଜସେବୀ ସୀତାକାନ୍ତ ଶତପଥୀ, ସ୍ବର୍ଗତ ବ୍ରଜସୁନ୍ଦର ମହାପାତ୍ର ଙ୍କୁ ସଂସଦର ପ୍ରତିଷ୍ଠାତା ହିସାବରେ ମରଣୋତ୍ତର ସ୍ମୃତି ସମ୍ମାନ, ବିଶିଷ୍ଟ କବି ଅନୁବାଦକ ସୂର୍ଯ୍ୟ ମିଶ୍ର, ନିୟୁଜ୭ ର କାର୍ଯ୍ୟକାରୀ ସମ୍ପାଦକ ଦେଵ ନାରାୟଣ ସେଠୀ, ଜଟଣୀ ବ୍ଲକ୍ ସ୍ତରରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଅଧିକ ନମ୍ବର ରଖି ଥିବା କୃତି ଛାତ୍ରୀ ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା।

ଅନୁଷ୍ଠାନ ର ସଭ୍ୟ ସନ୍ତୋଷ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପଦ୍ମନାଭ ପାଣିଗ୍ରାହୀ, ସୁକାନ୍ତି ମହାପାତ୍ର, ଅଙ୍କିତା ଶର୍ମା, ପ୍ରିୟଙ୍କା ମହାନ୍ତି ସହଯୋଗ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ପ୍ରହ୍ଲାଦ ସାହୁଙ୍କ ସଭାପତିତ୍ବରେ ସୌଦାମିନୀ ବେହେରା ଓ ପଦ୍ମ ଲୋଚନ ସାହୁଙ୍କ ସଂଯୋଜନାରେ କବିତା ପାଠ ଚକ୍ର ଅନୁଷ୍ଠିତ ହେଇଥିଲା। ଏଥିରେ ପଚାଶରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ଯୋଗ ଦେଇ କବିତା ପାଠ କରିଥିଲେ। ଅନୁଷ୍ଠାନ ର ସଭ୍ୟ ବିଷ୍ଣୁ ପଦ ଦାଶ, ସୁଦର୍ଶନ ସାହୁ, ଶରତ ଦାଶ, ଜନାର୍ଦ୍ଦନ ରଥ, କାହ୍ନୁ ଚରଣ ସାହୁ ପ୍ରଭୃତି ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦିକା ରଶ୍ମିତା ନାୟକ ଧନ୍ୟବାଦ ଦେଇଥିଲେ।

