ଖୋର୍ଦ୍ଧା, ୧୫/୬: ରଜ ସଂକ୍ରାନ୍ତି ରେ ସବୁଠୁ ନିରାମିଷ ଭୋଜି ଚାଲିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବୋଲାଗଡ଼ ବ୍ଲକ, ଆରିକମା ଗ୍ରାମରେ ଦେଖିବାକୁ ମିଳେ ଏହାର ବିପରିତ। ରଜ ସଂକ୍ରାନ୍ତି ରେ ଗ୍ରାମରେ ହୁଏ ମାଛ ଭୋଜି। ହଁ ଆଜ୍ଞ, ତାହା ପୁଣି ସାରା ଗ୍ରାମବାସୀଙ୍କ ପାଇଁ। ଗାଁର ସମଗ୍ର ଲୋକ କେବେ ବି ଏକାଠି ବସି ଖାଇବାର ସୁଯୋଗ ନଥିବାବେଳେ, ଆଜି ରଜ ସଂକ୍ରାନ୍ତି ରେ ଏକାଠି ହୋଇ ମିଳିମିଶି କରନ୍ତି ଜନ୍ତାଳ ଭୋଜି ତାହା ପୁଣି ମା’ କୋଶଳାଶୁଣୀଙ୍କ ପୀଠରେ । ଧାର୍ମିକ ଭାବନା ଅନୁସାରେ ସଂକ୍ରାନ୍ତି ଭଳି ଦିନରେ ଆମିଷ ଛୁଇଁବାର ଵିଧି ନଥିବା ବେଳେ, କିନ୍ତୁ ଏଠାରେ ରଜ ସଂକ୍ରାନ୍ତିରେ ହିଁ ଗାଁ ନେଳିଆ ପୋଖରୀରୁ ମାଛ ମରାହୁଏ । ଏହି ଅଜବ ପରମ୍ପରା ଏଯାବତ୍ ବଳବତ୍ତର ରହିଛି, ସକାଳୁ ସକାଳୁ ମାଛ ଧରା ହେବା ପରେ ପ୍ରଥମ ମାଛ ଠାକୁରାଣୀଙ୍କ ଭୋଗଲାଗି ପାଇଁ ଯାଇଥାଏ । ଅବଶିଷ୍ଟ ମାଛକୁ ଗାଁ’ର କୈବର୍ତ୍ତ ସଂପ୍ରଦାୟର ଲୋକେ, ଠାକୁରାଣୀଙ୍କ ପୀଠକୁ ନେଇ ଛୋଟଛୋଟ ଖଣ୍ଡରେ କାଟି ଗାଁ’ର ସମସ୍ତ ପରିବାରକୁ କ୍ରମାନ୍ବୟରେ ବଣ୍ଟନ କରନ୍ତି। ମାଛ ବଣ୍ଟା କାର୍ଯ୍ୟ ରାତି ଅଧ ପର୍ଯ୍ୟନ୍ତ ଚାଲିଥାଏ । ଗ୍ରାମର କାହା ଘରକୁ ଆସିଥିବା କୁଣିଆ ଏବଂ ସେଠାରେ ପଡ଼ିଥିବା ମେଳା ବ୍ୟବସାୟୀଙ୍କୁ ମଧ୍ୟ ମାଛ ବଣ୍ଟନ କରାଯାଇଥାଏ । ଗ୍ରାମବାସୀ ଜାଳକାଠ, ଚାଉଳ, ତେଲ, ମସଲା, ନୂଆ ମାଟିହାଣ୍ଡି ନେଇ ସନ୍ଧ୍ୟା ପରେ ଜଙ୍ଗଲ ପୀଠକୁ ଯାଆନ୍ତି । ସେଠାରେ ଚୁଲି ପ୍ରସ୍ତୁତ କରି ନୂଆ ହାଣ୍ଡିରେ ଭାତ, ମାଛ ରୋଷେଇ କରନ୍ତି । ରୋଷେଇ ପରେ ମାଛ ଭାତ କୁ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବା ପରେ ସମସ୍ତେ ମିଶି ପଂକ୍ତି ଭୋଜନ କରିଥାନ୍ତି। ଖାଇ ସାରିଲା ପରେ ଘରକୁ ଆଉ ସେହି ଆମିଷ ହାଣ୍ଡି କୁ ଫେରସ୍ତ ନନେଇ ସେଠାରେ ଭାଙ୍ଗି ଦେଇ ଥାନ୍ତି । ଏହାକୁ ଅନେକ ହାଣ୍ଡିଭଙ୍ଗା ଯାତ୍ରା କହନ୍ତି ।

