ଜଟଣୀ, ୦୬/୦୫: ପ୍ରେମ ସମ୍ପର୍କ ଯୋଡି ନାବାଳିକାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ମନା କରିବା ଓ ଧମକ ଦେବା ଘଟଣାରେ ଜଣେ ଯୁବକଙ୍କୁ ୫ ବର୍ଷ ପରେ ଗିରଫ କରିଛି ଜଟଣୀ ପୋଲିସ। ଗିରଫ ଯୁବକ ଜଣଙ୍କ ହେଲେ ଭୁବନେଶ୍ୱର କେଦାରପଲ୍ଲୀ ବସ୍ତି ଅଞ୍ଚଳର ସନ୍ତୋଷ ନାୟକ ଓରଫ ଜାଗା। ସୁଚନା ମୁତାବକ ଜଟଣୀ ଅଞ୍ଚଳର ଜଣେ ନାବାଳିକା ସହ ପରିଚିତ ହୋଇ ପ୍ରେମ ସମ୍ପର୍କ ନାମରେ ତାଙ୍କ ସହିତ ନିକଟତର ହୋଇଥିଲା ଅଭିଯୁକ୍ତ। ପରେ ସେ ପୀଡିତାଙ୍କ ଇଚ୍ଛା ବିରୋଧରେ ଅନେକଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏହାର ପରିଣାମରେ ପୀଡିତା ଗର୍ଭବତୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ବିବାହ କରିବାକୁ ଅସ୍ୱୀକାର କରିଥିବା ସହ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଥିଲେ ପୀଡିତାଙ୍କୁ। ପିଡ଼ିତାଙ୍କ ପରିବାର ପକ୍ଷରୁ ଜଟଣୀ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରି ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ପରୀକ୍ଷା କରିବା ସହ ପ୍ରାସଙ୍ଗିକ ଡକ୍ୟୁମେଣ୍ଟାରୀ ଓ ଜୈବିକ ପ୍ରମାଣ ସଂଗ୍ରହ କରିଥିଲା। ସ୍କୁଲ ରେକର୍ଡ ଅନୁଯାୟୀ ପୀଡିତାଙ୍କ ବୟସ ନାବାଳିକା ବୋଲି ଯାଞ୍ଚରୁ ପ୍ରମାଣିତ ହୋଇଥିଲା। ଅଭିଯୁକ୍ତ ଦୀର୍ଘ ଦିନ ଧରି ପଳାତକ ଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ଚଢାଉ କରି ଅଭିଯୁକ୍ତ କୁ ଗିରଫ କରିଛି। ପୋଲିସ ପଚରାଉଚରା ସମୟରେ ସେ ଅପରାଧରେ ନିଜ ସମ୍ପୃକ୍ତି ସ୍ୱୀକାର କରିଥିଲେ। ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ ଚାଲିଛି। ଏହାର ଜଟଣୀ ଥାନା କେସ ନଂ- ୩୭୧/୨୦୨୦ ।
