ବ୍ୟୁରୋ: ଜଟଣୀ ବାସୀଙ୍କର ଦୀର୍ଘ ଦିନର ଦାବୀ ପରେ ଜଟଣୀ ଫ୍ଲାଇଓଭର ବ୍ରିଜ ନିର୍ମାଣ ହୋଇଛି । କିନ୍ତୁ ଠିକାଦାର ଓ ଅଫିସରଙ୍କ ଅବହେଳା ପାଇଁ ଅସୁବିଧା ଭୋଗୁଛନ୍ତି ଜଟଣୀବାସୀ।

ଜଟଣୀର ବହୁ ପ୍ରତିକ୍ଷିତ ଫ୍ଲାଇଓଭର ବ୍ରିଜ୍ ଗତ ୪ ମାସ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଏହି ଆଠ ଶହ ମିଟର ଲମ୍ବର ବ୍ରିଜ ନିର୍ମାଣ ସରିବାକୁ ଲାଗିଥିଲା ୮ ବର୍ଷ, ଆଉ ଖର୍ଚ୍ଚ ହୋଇଥିଲା ୧୦୫ କୋଟି ରୁ ଉର୍ଦ୍ଧ ଟଙ୍କା। ବ୍ରିଜ ଉଦଘାଟନକୁ ପୁରିଛି ମାତ୍ର ୪ ମାସ, କିନ୍ତୁ ବ୍ରିଜ ଅବସ୍ଥା ନକହିଲେ ଭଲ।

ବ୍ରିଜର ବିଭିନ୍ନ ସ୍ଥାନରେ କଙ୍କ୍ରିଟ୍ ଉଠି ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ରଡ ଦିଶିଲାଣି। ଆଉ କେତେକ ଜାଗାରେ ବିରାଟ ଫାଟ ହେଲାଣି। ବାହାରିଥିବା ରଡ ରେ ଝୁଣ୍ଟି ବହୁ ଲୋକ ଆହତ ହେଲେଣି। ଯାନବାହନ ଚଳାଚଳରେ ଯାତ୍ରୀମାନେ ବହୁ ଅସୁବିଧା ଭୋଗୁଛନ୍ତି। କେତେବେଳେ ଏହି ରଡ ପାଇଁ କାହା ଜୀବନ ଯିବ ତାହା କହିହେବନି। କିଛିଦିନ ଆଗରୁ ସଂପୃକ୍ତ ବିଭାଗ ପକ୍ଷରୁ ପିଚୁ ଢଳେଇ ପକେଇ ଅନେକ ଗାତ ବନ୍ଦ କରାଯାଇଥିଲା, କିନ୍ତୁ ସେଗୁଡିକ ମଧ୍ୟ ପୁନର୍ବାର ଗତ ହୋଇଗଲାଣି।

ଏବେ ସମସ୍ତିଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି ଏତେ ଶୀଘ୍ର କାହିଁକି ଓଭର ବ୍ରିଜରେ ବିରାଟ ବିରାଟ ଗାତ ଓ ଫାଟ ସୃଷ୍ଟି ହେଲା । ଆଗକୁ ରଥଯାତ୍ରା ଥିବାରୁ ଖୋର୍ଦ୍ଧା, ନୟାଗଡ଼ ଆଦି ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଓଭର ବ୍ରିଜ ଦେଇ ପୁରୀ ଯିବେ। ସେଥିପାଇଁ ସଂପୃକ୍ତ ବିଭାଗ ଘଟଣାର ତଦନ୍ତ କରି ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରିବାକୁ ସାଧାରଣରେ ଦାବି ହୋଇଛି।