ଖୋର୍ଦ୍ଧା, ୨୨ା୪ : ଖବର ପରିବେଷଣକୁ କେନ୍ଦ୍ରକରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳଙ୍କ ଘରେ ପଶି ଆକ୍ରମଣ କରିବା, ଗାଳିମନ୍ଦ କରିବା ଓ ହତ୍ୟାଧମକ ଦେବା ଘଟଣାକୁ ପ୍ରତିବାଦ କରି, ଆଜି ଶତାଧିକ ସାମ୍ବାଦିକ ଏସପିଙ୍କୁ ଭେଟି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ପ୍ରତିନିଧି ମଣ୍ଡଳୀ  ଆଜି ଏସପିଙ୍କ ସହ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାନଗଲେ ସମୁହ ସାମ୍ବାଦିକ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରକାଶ ହାତୀ ଚେତାବେନୀ ଦେଇଛନ୍ତି । ଏହାକୁ ଜିଲ୍ଲା ପ୍ରେସ କ୍ଲବ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ସଦସ୍ୟମାନେ ସମର୍ଥନ ଜଣାଇଛନ୍ତି । 

ସୂଚନାନୁଯାୟୀ,ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ର ସଭାପତି ତଥା ବରିଷ୍ଠ ନାଗରିକ ପଦ୍ମନାଭ ବିଶ୍ୱାଳ (୮୨) ଜଣେ ଶ୍ରମଜିବୀ ବିବାହିତ ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କିତ ଖବର ଗତ ୮ ଓ ୯ତାରିଖରେ ପ୍ରସାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗତ ୧୬ ତାରିଖରେ ଟାଙ୍ଗି ଥାନା ଅନ୍ତର୍ଗତ ବଡ଼ପାରି ଅଞ୍ଚଳର ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ସମର୍ଥକଙ୍କ ସହ ଶ୍ରୀ ବିଶ୍ୱାଳଙ୍କ ଘରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ଖବର ପ୍ରସାରଣ କଲେ ହତ୍ୟାଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଶ୍ରୀ ବିଶ୍ୱାଳ ଜଣେ ବରିଷ୍ଠ ନାଗରିକ ଓ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାବେଳେ ଏହି ଘଟଣା ପରେ ଶ୍ରୀ ବିଶ୍ୱାଳଙ୍କ ଦମ୍ପତି ଭୟ ଓ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି । ଶ୍ରୀ ବିଶ୍ୱାଳ ଏନେଇ ଟାଙ୍ଗୀ ଥାନାରେ ଏକ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ କୁ ୭ଦିନ ବିତିଥିଲେ ମଧ୍ୟ ପୁଲିସ ପକ୍ଷରୁ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇନାହିଁ, କି ମାମଲା ରୁଜୁ ହୋଇନାହିଁ, ବରଂ ଜଣେ ଦୁବୃର୍ତ କିପରି ମାମଲାରୁ ଖସିବ ସେ ନେଇ ଥାନା ଅଧିକାରୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରେସ କ୍ଲବ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ନିନ୍ଦା କରିବା ସହ ଘଟଣାକୁ ଗୁରୁତରଭାବେ ଗ୍ରହଣ କରିଛି । ଜଣେ ବରିଷ୍ଠ ନାଗରିକ ତଥା ବରିଷ୍ଠ ସାମ୍ବାଦିକଙ୍କୁ ଘରେ ପଶି ଆକ୍ରମଣ କରିବା ଓ ହତ୍ୟା ଧମକ ଦେବା ଘଟଣାରେ ଅଭିଯୁକ୍ତକୁ ଗିରଫ ଓ ଶ୍ରୀ ବିଶ୍ୱାଳଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବା ଦାବିରେ ଆଜି ସଂଘ ପକ୍ଷରୁ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ଜଣେ ବୟସ୍କ ସାମ୍ବାଦିକଙ୍କୁ ଏଭଳି ହତ୍ୟା ଧକମ ଦେବା ଘଟଣାରେ ତୁରନ୍ତ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯିବ । ଏନେଇ ଜିଲ୍ଲା ମୁଖ୍ୟାଳୟର ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଏସପି ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *