ବ୍ୟୁରୋ: ଜଟଣୀ ବାଛରା ପାଟଣାରେ ମସଜିଦ-ଏ-ନୁର ଲୋକାର୍ପିତ ହୋଇଯାଇଛି। ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇସଲାମ ଧର୍ମର ପବିତ୍ର ମାସ ରମଜାନ ମାସ। ଏନେଇ ଜଟଣୀ ସହରରେ ରହୁଥିବା ସମସ୍ତ ମୁସଲମାନ ମାନଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ଆଜିର ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୟଦ ଆଲେ ରସୁଲ ହାସମୀ ହବିବି ଯୋଗ ଦେଇ, ମସଜିଦ ନୁର ର ରିବନ କାଟି ଲୋକାର୍ପଣ କରିଥିଲେ।

ଅନ୍ୟତମ ଅତିଥି ଭାବେ ସହର-ଏ-କାଜି କଟକ ର ମୌଲାନା ଅବଦୁଲ ବାକି ସାହବ କିବଲା ଯୋଗ ଦେଇଥିଲେ। ମସଜିଦ ନୁର ଦୀର୍ଘଦିନ ଧରି ଅସ୍ଥାୟୀ ଗୃହରେ ଚାଲୁଥିଲା ବେଳେ ଆଜି ନିଜସ୍ୱ ଗୃହକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଅବସରରେ ବିଭିନ୍ନ ଜିଲ୍ଲାର ମୌଲବୀ ଓ ନମାଜିମାନେ ଯୋଗଦେଇଥିଲେ। ମଦରସାତୁଲ -ମଦିନାର ମୌଲାନା ତଥା ମସଜିଦ ନୁରର ଏମାମ ସେକ ଜାକିର ହୁସେନ ହବିବିଙ୍କ ତତ୍ୱବଧାନରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ମଦରସାର ପିଲାମାନଙ୍କ ଦ୍ୱାରା ନାତଖାନି,କୁରାନଖାନି ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥି ସହିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ମିଲାଦଖାନି କରାଯାଇଥିଲା। ଏଥିରେ ସାରା ଦେଶର ମାନବ ସମାଜକୁ ଶାନ୍ତିର ବାର୍ତ୍ତା ଦେଇ ସମସ୍ତଙ୍କ ଲାଗି ମଙ୍ଗଳ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତଙ୍କୁ ଲଙ୍ଗରର ବ୍ୟବସ୍ଥା କରାଯାଇଥିବା ବେଳେ ବାଛରାପାଟଣା ଅଞ୍ଚଳରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ମେହେମୁଦ ସରିଫ, ଅଜଗର ଖାନ, ହାଇଦର ଖାନ ହବିବି ଙ୍କ ସହିତ ଅନ୍ୟମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *