ବ୍ୟୁରୋ: ନୂଆ ବର୍ଷରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ, ଭକ୍ତ ମାନଙ୍କୁ ପ୍ରଥମେ ନିଜ ପୋଷାକ ଉପରେ ଧ୍ୟାନ ଦେବାକୁ ପଡିବ। ଶ୍ରୀମନ୍ଦିର ହେଉଛି ସବୁଠୁ ପବିତ୍ର ସ୍ଥାନ। ସେଥିପାଇଁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବଧାରାକୁ ଦୃଢ଼ୀଭୂତ କରିବା ପାଇଁ, ମନ୍ଦିର ପ୍ରଶାସନ ଭକ୍ତଙ୍କ ବେଶ ପୋଷାକ ଉପରେ ନଜର ଦେଇଛି। ଆଧୁନିକତା ନାଁରେ ବର୍ତ୍ତମାନ ଛୋଟ, ଚିରା, ଫଟା ଜିନ୍ସ କିମ୍ବା ଅଙ୍ଗ ଦେଖାଯାଉଥିବା ଭଳି ଅଶାଳୀନ ପୋଷାକ ପିନ୍ଧି ଆସିଲେ , ଶ୍ରୀମନ୍ଦିରକୁ ଭିତରକୁ ପ୍ରବେଶ କରିବାକୁ ଆଉ ଅନୁମତି ମିଳିବ ନାହିଁ । ଶ୍ରୀମନ୍ଦିର ପ୍ରବେଶ ପଥରେ ଯାଞ୍ଚ ସମୟରେ ଯଦି ଅଶାଳୀନ ପୋଷାକ ପିନ୍ଧିଥିବାର ନଜର ଆସେ ତେବେ ତାଙ୍କୁ , ସେହିଠାରୁ ଫେରାଇ ଦିଆଯିବ। ସୋମବାର ଅନୁଷ୍ଠିତ ହୋଇଥିବା ନୀତି ସବ୍-କମିଟି ବୈଠକରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସଂପର୍କରେ ପ୍ରଥମେ ଭକ୍ତ ମାନଙ୍କୁ ସଚେତନ କରାଯିବ। ଆସନ୍ତା ନୂଆବର୍ଷରୁ ଏହି ନିୟମ କଡ଼ାକଡ଼ି ଲାଗୁ ହେବ ବୋଲି ସ୍ଥିର ହୋଇଛି। ୧୨ ବର୍ଷରୁ କମ୍ ପିଲାମାନେ ହାପ୍ ପ୍ୟାଣ୍ଟ ପିନ୍ଧି ମନ୍ଦିରକୁ ଆସି ପାରିବେ। କିନ୍ତୁ ଅନ୍ୟମାନେ ଶାଳୀନତାପୂର୍ଣ ପୋଷାକ ପିନ୍ଧି ମନ୍ଦିରକୁ ଆସିବେ । ଅନ୍ୟ ଧର୍ମରେ ପୋଷାକ ପରିଧାନ ଉପରେ ସ୍ବତନ୍ତ୍ର ନିୟମ ରହିଛି। ଆମେ ମଧ୍ୟ ଆମ ଧର୍ମର ଓ ଆମ ଠାକୁରଙ୍କ ପୀଠର ମାହତ୍ମ୍ୟକୁ ସୁରକ୍ଷା ଦେବା ଉଚିତ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଜାନୁଆରୀ ଏକ ତାରିଖରୁ ସିଂହଦ୍ବାରରେ ଜେଟିପି ଓ ମନ୍ଦିର ଭିତରେ ପ୍ରତିହାରୀ ସେବକମାନେ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ। ନୀତି ସବ୍ କମିଟି ବୈଠକର ଏହି ନିଷ୍ପତ୍ତି ଛତିଶା ନିଯୋଗ ଏବଂ ପରିଚାଳନା କମିଟିରେ ଆଲୋଚନା ହୋଇ ମୋହର ବାଜିବ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି।