ଜଟଣୀ, ୨୮/୦୨: ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆସନ୍ତା ମାର୍ଚ୍ଚ ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମେଳଣକୁ କିପରି ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ, ସେ ନେଇ ପୁରୀ ଏସ.ପି. ପ୍ରତୀକ ସିଂ ହରିରାଜପୁର ଗସ୍ତ କରି ମେଳଣ ର ସମସ୍ତ ପ୍ରସ୍ତୁତି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ମେଳଣ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ଓ ଆପତ୍କାଳୀନ ସେବା ବିଷୟରେ ଏସ୍ପି ଶ୍ରୀ ସିଂ ଖୁବ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ମେଳଣ ପ୍ରାଙ୍ଗଣ ଓ ପ୍ରବେଶ–ପ୍ରସ୍ଥାନ ପଥରେ ସିସିଟିଭି କ୍ୟାମେରା ଲଗାଇବା ଓ ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା ଉପରେ ଜୋର ଦିଆଯାଇଥିଲା। ଯାହାଦ୍ୱାରା କୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ତାହାର ପଦକ୍ଷେପ ନିଆଯାଇପାରିବ।

ଭକ୍ତମାନଙ୍କ ସୁବିଧା ପାଇଁ ନିମନ୍ତେ ପର୍ଯ୍ୟାପ୍ତ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା, ପାନୀୟ ଜଳ ସୁବିଧା ଓ ପରିବେଶ ର ସ୍ୱଚ୍ଛତା ଉପରେ ଆଲୋଚନା ହୋଇଥିଲା। ମହିଳା, ବୃଦ୍ଧ ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ବିଶେଷ ପୋଲିସ ବ୍ୟବସ୍ଥା ରହିବା ସହିତ ହେଲ୍ପଡେସ୍କ ସ୍ଥାପନ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ସହ ସନ୍ଦେହଜନକ ବ୍ୟକ୍ତି ଓ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବା, ଏବଂ ସୋସିଆଲ ମିଡିଆ ମାଧ୍ୟମରେ କୌଣସି ଭ୍ରମ ସୃଷ୍ଟି କରିବା ଭଳି ସୂଚନା ପ୍ରସାର ହେଲେ ତାହାରେ ତୁରନ୍ତ ପଦକ୍ଷେପ ନେବାକୁ ଏସ୍ପି ନିର୍ଦ୍ଦେଶ ଦେଇଥିଲେ।

ପୋଲିସ ପକ୍ଷରୁ ମେଳଣ ସମୟରେ ଅଧିକ ଫୋର୍ସ ମୋତାୟନ କରାଯିବା ସହିତ ରାତ୍ରି ପାହାରା ବୃଦ୍ଧି କରାଯିବ। ଯାତାୟାତ ନିୟନ୍ତ୍ରଣ ପାଇଁ ଆବଶ୍ୟକତାନୁସାରେ ରୁଟ୍ ଡାଇଭର୍ସନ୍ ବ୍ୟବସ୍ଥା ନିଆଯିବ ଓ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଏସପି ଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଏସପି ସଚିନ ପଟେଲ, ଏସଡିପିଓ ପିପିଲି ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନା ଓଆଇସି ମମତା ବିଶ୍ୱାଳ , ହରିରାଜପୁର ମେଳଣ କମିଟିର ସଭାପତି, ସଚିବ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

