ଜଟଣୀ: ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ। ଜଟଣୀର ଥିବା ବହୁ ଦିନର ସମସ୍ୟାର ହେବାକୁ ଯାଉଛି ସମାଧାନ। ଆଉ ଲୋକମାନେ ହେବେନି ହଇରାଣ, ସୁବିଧାରେ କରିବେ ଗମନାଗମନ। ବର୍ଷା ପାଣିରେ ବୁଡିବନି ଆଉ ମୋ ବସ୍, କି ରେଲୱେ ଅଣ୍ଡରଗ୍ରାଉଣ୍ଡ ତଳେ ଯିବନି ଆଉ କାହାର ଜୀବନ।
ଜଟଣୀବାସୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର, ଜଟଣୀ ଆନ୍ଦ୍ରା ବ୍ୟାଙ୍କ ଛକ ଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ୧୧୩୩ ମିଟର ଲମ୍ବାର, ଓଭର ବ୍ରିଜ ନିର୍ମାଣ ପାଇଁ କରିଥିଲେ ଯୋଜନା। ୨୦୧୫ ମସିହାରେ ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ଏହି ଓଭର ବ୍ରିଜ ନିର୍ମାଣ ପାଇଁ ୫୪ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୨୦୧୭ ମସିହା ସୁଦ୍ଧା ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଚୁକ୍ତି ନାମରେ ଉଲ୍ଲେଖ ଥିଲା। କିନ୍ତୁ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭକୁ 8ବର୍ଷ ପୁରିଲାଣି, ତଥାପି ହୋଇପାରିଲାଣି ଆଜି ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ।
ଓଭର ବ୍ରିଜ ନିର୍ମାଣ ଶୀଘ୍ର ଶେଷ କରିବାକୁ, ବିଭିନ୍ନ ରାଜନୈତିକ ଦଳର ନେତାମାନେ, ଭିନ୍ନ ସମୟରେ ଧାରଣା ଦେବା ସହ ଅନଶନ ମଧ୍ୟ କରିଥିଲେ । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏହି ବ୍ରିଜ ଉଦଘାଟନର ବିଭିନ୍ନ ତାରିଖ, ମିଡିଆ ଆଗରେ ୫ଥର ଘୋଷଣା କରିଥିଲେ । କିନ୍ତୁ ସେହି ଘୋଷଣା ତାରିଖରେ ଉଦଘାଟନ ହୋଇପାରିଲାନି ଜଟଣୀ ଓଭର ବ୍ରିଜ।
ଗତ ମାସ ଜୁନ ୨୧ତାରିଖରେ ଜଟଣୀର ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ, ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସିଥିଲେ। ଆଉ ଘୋଷଣା କରିଥିଲେ ଦୁଇ ମାସ ଭିତରେ କାର୍ଯ୍ୟ ସରିବ। ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ, 5T ସଚିବ ପୂର୍ତ୍ତ ବିଭାଗକୁ ତାଗିଦ କରିଥିବା କହିଥିଲେ ବିଭୁତି।
ଆଜି ସନ୍ଧ୍ୟା ସମୟରେ ବ୍ରିଜର ଶେଷ ଭାଗ, କୁଦିଆରୀ ବଜାର ପଟେ ଖୋର୍ଦ୍ଧା (ରାସ୍ତା ଓ କୋଠାବାଡ଼ି) ବିଭାଜନ ପକ୍ଷରୁ ଏକ ସୂଚନା ଫଳକ ଲଗା ଯାଇଛି। ଯେଉଁଥିରେ ଲେଖା ଯାଇଛି ଏହି ବ୍ରିଜ ନିର୍ମାଣ ପାଇଁ ୧୦୪.୬୯୮ କୋଟି ଆକଳନ କରାଯାଇଛି। ତାସହ ଏହି ବ୍ରିଜର କାର୍ଯ୍ୟ ସମାପ୍ତିର ତାରିଖ ୧୫.୦୭.୨୦୨୩ ଉଲ୍ଲେଖ ରହିଛି। ଯଦି ଫଳକରେ ଲେଖା ଥିବା ସୂଚନା ଅନୁଯାୟୀ କାର୍ଯ୍ୟ ହୁଏ ତେବେ ଏଇମାସ ୧୫ ତାରିଖ ଭିତରେ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ତାସହ ଜଟଣୀ ବାସୀଙ୍କ ବହୁ ଦିନର ଦାବୀ ପୂରଣ ହେବ।